Unknown

 

 

 

 

 

 

 

 

 

ନାବକେଳି

ଦୀନକୃଷ୍ଣ ଦାସ

 

ଗୋପିଏ ବୋଇଲା ଶୁଣ ଗୋ ମିତ ।

ଦିନେ ଯାହାକଲେ ଯଶୋଦା ସୁତ ।

ତା ତହୁଁ ଆମ୍ଭକୁ ଆନ ନ ଦିଶେ ।

କହିଲା ଲୋକର ହିଆ ଉଲୁସେ ।।

 

 

ଯେଉଁ କୃତ୍ୟକଲେ କରୁଣାସିନ୍ଧୁ ।

କହିଲେ ହସିବେ ପରାଣ ବନ୍ଧୁ ।

ଏକ ଦିନକରେ ସର୍ବଗୁଆଳୀ ।

ରାତ୍ରହୁଁ ଉଠି ଦୀପମାନ ଜାଳି ।।

 

 

ମଥୁରା ହାଟକୁ ଯିବାର ପାଇଁ ।

ଦଧିମନ୍ଥନରେ ପଶିଲୁ ଗୋଈ ।

ସମୁଦ୍ର ପ୍ରାୟେ ଶୁଭେ ଦଧିମୁହାଁ ।

ପକାପରେ ବୁଲେ ପଞ୍ଚଶଖୁଆ ।।

 

 

କାହିଁ ଷାଠିଏ ସତୁରୀଏ କାହିଁ ।

ଶଏ ବୋଲିକରି କଳନା ନାହିଁ ।

ଯା ଘରେ ଅଧିକ ହୁଏ ଗୋରସ ।

ତା ଘରେ ବୁଲଇ ଖୁଆ ଦୁଇଶ ।।

 

 

ସବୁ ଗୋପୀଙ୍କର ହରଷ ଚିତ୍ତ ।

ଦଧିମନ୍ଥନେ ଗାଉଛନ୍ତି ଗୀତ ।

କେ ବୋଲେ କେଶବ କରୁଣା କାହ୍ନା ।

କୁଞ୍ଜବିନୋଦିଆ ପଦ୍ମଲୋଚନା ।।

 

 

କେ ବୋଲେ ଖେଳାଉଛ ଦୟାନିଧି ।

ଖଗ ଆସନ କରୁଣା-ବାରିଧି ।

କେ ବୋଲେ ଗୋବିନ୍ଦ ଗୋକୁଳ ନାଥ ।

ଗୋପ ମୋହନିଆ ଯଶୋଦାସୁତ ।।

 

 

କେ ବୋଲେ ଘଟୁଆଳ ନବରଙ୍ଗ ।

ଘନଶ୍ୟାମଳିଆ ବରଜ ସଙ୍ଗ ।

କେ ବୋଲେ ନାଗର ଶ୍ରୀବନମାଳୀ ।

ନିଧନ ଧନିଆ ରଙ୍କଶଙ୍ଖାଳି ।।

 

କେ ବୋଲେ ଚନ୍ଦ୍ରମାମୁଖ ଉଜ୍ଜ୍ୱଳ ।

ଚିତା ସଳଖେ କାଟିଥାଇ ଚୂଳ ।

କେ ବୋଲେ ଛଇଳ ନାଗର କାହ୍ନା ।

ଛନ୍ଦ ଶିରୋମଣି ଭକତଧନା ।।

 

 

କେ ବୋଲେ ଯାମଳର୍ଜ୍ଜୁନ ଭଞ୍ଜନ ।

ଯୁବାସ୍ତିରୀଙ୍କର ଗରବ ଗଞ୍ଜନ ।

କେ ବୋଲେ ଝଳି ଲୋଟଣି ଜୁଡ଼ା ।

ଝାଡ଼ ବିନୋଦିଆ ଝିମିଟି ଖେଳା ।।

 

 

କେ ବୋଲେ ନବୀନ ନବ ସାଗର

ନୂଆ ମଦନିଆ ହଟ ନାଗର ।

କେ ବୋଲେ ନବୀନ ନବସାଗର

ଟେକ ଟସକର ଲବଣୀ ଚୋର ।।

 

 

କେ ବୋଲେ ଠା ଠିକ୍‌ ଚାହାଣୀବଙ୍କା ।

ଠଣବଦନିଆ ମୁରଲୀଫୁଙ୍କା ।

କେ ବୋଲେ ଡଙ୍କକୁ ଭଲା ଗାରଡ଼ି ।

ଡାକିଲେ ଯାଇଁ ଶେଷ ବିଷ ଉଡ଼ି ।।

 

 

କେ ବୋଲେ ଢଳି କହୁଥାଇ ଭାଷା ।

ଢାଳେହିଁ ପୁତନା ଜୀବନ ଶୋଷା ।

କେ ବୋଲେ ଅନନ୍ତ କଳପତରୁ ।

ଆରତ ଭଞ୍ଜନ ଶରଣମେରୁ ।।

 

 

କେ ବୋଲେ ତାପ ଖଣ୍ତନ ମୁରାରି ।

ତ୍ରୈଲୋକ୍ୟ ସୁନ୍ଦର ଜଗଦ୍‌ବିହାରୀ ।

କେ ବୋଲେ ସ୍ଥାଣୁ ଧ୍ୟାନଘେନା କାହ୍ନା ।

ଥଣ୍ଟଚିରା ବକା ଜୀବନଘେନା ।।

 

 

କେବୋଲେ ଦୀନଦାରିଦ୍ର୍ୟ ଭଞ୍ଜନ ।

ଦହି ଦୁଧଖିଆ ଦୁଃଖୀର ଧନ ।

କେ ବୋଲେ ନୀପ କୁସୁମଚୂଳିଆ ।

ବଂଶୀବଦନିଆ ନୀପ ମୂଳିଆ ।।

 

କେବୋଲେ ନିର୍ଗୁଣ ଗୁଣକବୁଝା ।

ନବୀନ ସୁନ୍ଦର ତ୍ରିଭଙ୍ଗୀ ମଝି ।

କେ ବୋଲ ପ୍ରଭୂପଣ ତାର ଭଲା ।

ପାଣି ଘାଟୁଆଳ କେଣିକି ଗଲା ।।

 

 

କେ ବୋଲେ ଫୁଲ ବିନୋଦ କହ୍ନାଇ ।

ଫୁଲାଚାଲିକି ପରିମୁଣ୍ଡା ଯାଇ ।

କେ ବୋଲେ ବଂଶୀବଦନ ସୁନ୍ଦର ।

ବୁଦ୍ଧି ଭୁଲିଆ ମୁରଲୀ ଅଧର ।।

 

 

କେ ବୋଲେ ଭଉଣୀ ଦୁଷ୍ଟ ଆଣ୍ଟୁଆ ।

ଭେଳା ବୁଡ଼ାଣିଆ ଭେଳାଥେଣ୍ଟିଆ ।

କେ ବୋଲେ ମନମୋହନିଆ ଠାଣି ।

ମୋହିନୀ ଲାଗଇ ଚାହିଁଲାକ୍ଷଣି ।।

 

 

କେ ବୋଲେ ଜଗତ ଜନ ବନ୍ଦନ ।

ଯୁବାବୟସିଆ ଯଦୁନନ୍ଦନ ।

କେ ବୋଲେ ରସିକ ରୂପ କାଳିଆ ।

ରଙ୍ଗ ଲୋଚନିଆ ଗୁଞ୍ଜମାଳିଆ ।।

 

 

କେ ବୋଲେ ଲକ୍ଷ୍ମୀପତି ବିନୋଦ ।

ଲୋଭ ଛାଡ଼ି ନୁହେଁ ପରମାନନ୍ଦ ।

କେ ବୋଲେ ବିବିଧରସିଆ ଗୋଟା ।

ବିଷ୍ଣୁମାୟାଧର ପାବକ ଛଟା ।।

 

 

କେ ବୋଲେ ସୁନ୍ଦର ଦେବାଧିରାଜ ।

ସୁଧାବଦନିଆ ଗରୁଡ଼ ଧ୍ୱଜା ।।

କେ ବୋଲେ ସୁନ୍ଦର ତ୍ରିମୁଣ୍ତଚୁଡ଼ା ।

ଶିରରେ ମୟୁରଚନ୍ଦ୍ରିକା ବେଢ଼ା ।

 

 

କେ ବୋଲେ ସୃଜନ ଜଗତ କଲା ।

ସନ୍ଥପଦ ବୁହା ମହିମା ଭଲା ।

କେ ବୋଲେ ହରିକି ନୁହେ ଉପେକ୍ଷି ।

ହିଆ ଉଲୁସଇ ହସିବା ଦେଖି ।।

 

କେ ବୋଲେ କ୍ଷତିଶ ପଦ୍ମଚରଣ ।

କ୍ଷୁଦ୍ର କୃଷ୍ଣଦାସ ପଶେଶରଣ ।

ବିବିଧ ପ୍ରକାରେ ଗାଆନ୍ତି ଗୀତ ।

ସବୁ ଗୋପୀଙ୍କର ହରଷଚିତ୍ତ ।।

 

 

ଏମନ୍ତେ ସରିଲା ଦଧିମନ୍ଥନ ସଜ ।

କଲେ ସବୁ ପସରାମାନ ।

ଏକ ଆରକେ ଡକାଡକି ହୋଇ ।

ବାହାର ହୋଇଲୁଁ ଘେନିଣଦହି ।।

 

 

ରାଧିକା ସହତେ ଯେତେକ ବାଳୀ ।

ଦଧିମୁହାଁଇ ଯେ ସମସ୍ତେ ଚଳି ।

ସୁବେଶ ହୋଇଣ ଚଳନ୍ତିବାମା ।

ସୁନ୍ଦର ସୁଶୋଭିତ ଅନୁପମା ।।

 

 

କଟିକଙ୍କିଣୀ ବାଜେ ରୁଣଝୁଣ ।

ବାହେ ବାହୁଟି ହସ୍ତରେ କଙ୍କଣ ।

ଦଧିପସରା ଘେନିଣ ମୁଣ୍ତର ।

ବାହେ ଉଡ଼ୁଅଛି ପତନୀ ଫେର ।।

 

 

ସମସ୍ତେ ସୁନ୍ଦରୀ ଅପୂର୍ବରୂପ ।

ନାକେ ନାକଚଣା ମୁକୁତା ଥୋପ ।

ହେମର ତାଡ଼କା କର୍ଣ୍ଣରେ ଫୁଲ ।

ଝଟକେ ବିଜୁଳି ଜ୍ୟୋତି ଅମୂଲ୍ୟ ।।

 

 

ଲୋଟଣୀଛନ୍ଦେ କେ କରିଛି ଖୋଷା ।

ବିବିଧ କୁସୁମ ହୋଇଛି ମିଶା ।

ହରିଣୀନୟନେ ଅଞ୍ଜନରଞ୍ଜେ ।

ଚରଣ ନୂପୁରେ ଅଳତା ସାଜେ ।।

 

 

ଗୋପୀଏ ବୋଇଲେ ଶୁଣ ସଙ୍ଗାତ ।

କହି ନ ପାରଇ ସେ ଦିନ କୃତ୍ୟ ।

ଏମନ୍ତ ବେଶ ଯେ ହୋଇଣ ଗାଈ ।

ଯମୁନା କୂଳରେ ମିଳିଲୁଯାଇ ।।

 

ଦଧିପସରାମାନ ଅଛି ମୁଣ୍ତେ ।

ରାମ ଗୋବିନ୍ଦ ବୋଲୁଥାଉଁ ତୁଣ୍ତେ ।

କହି ନପାରଇ ସେଦିନ ଛଟା ।

ଦେଖିଲୁ ବଢ଼ିଅଛି ନଦୀ ଗୋଟା ।।

 

 

ପ୍ରଖର ହୋଇ ବହୁଅଛି ପାଣି ।

ପୁଞ୍ଜା ପୁଞ୍ଜା ହୋଇ ଭାଷୁଛି ଫେଣୀ ।

ମଟାଳିଆ ପାଣି ବହୁଛି ସଞ୍ଚେ ।

ଲହଡ଼ା ମାରୁଛି ପର୍ବତ ଉଚ୍ଚେ ।।

 

 

ମହାଦାରୁମାନେ ଯାଆନ୍ତି ଭାସି ।

ତଥି ଉପରେ ସର୍ପଛନ୍ତି ବସି ।

ଛତ୍ର ଆକାରେ ଟେକିଛନ୍ତି ଫଣା ।

ଗର୍ଜନ ଶୁଣିଲେ ହେବି ଭେଟଣା ।।

 

 

ସମୁଦ୍ରପ୍ରାୟେ ଶୁଭଇ ଚହଳ ।

ଶଙ୍କୁ ସୁସମ୍ବର ଅତିଗହଳ ।

ଚାହିଁ ନୁହଇ ଭୟଙ୍କର ଦିଶେ ।

ଭେଳା ଭେଳା ହୋଇ କୁମ୍ଭୀର ଭାଷେ ।।

 

 

ବେନି କୂଳେ ନଦୀ ଯାଉଛି ମାଡ଼ି ।

କେଉଁଠାରେ ବନ୍ଧ ପଡ଼ୁଛି ଛିଡ଼ି ।

ଚାହିଁଲେ ପୁଣି ନ ଦିଶଇ କୂଳ ।

ଚକ୍ରାକୃତି ହୋଇ ବୁଲୁଛି ଜଳ ।।

 

 

ନାବ କେରୁଆଳ କିଛିହିଁ ନାହିଁ ।

ତାଟକା ହୋଇଲୁ ନଦୀକୁ ଚାହିଁ ।

ଭରସା କରି ତ ନୁହଇ ପଶି ।

କି କରିବୁ ବୋଲି ଭାଳୁଛି ବସି ।।

 

 

ଦେଖିଣ ସବୁକୁ ଲାଗିଲା ବ୍ୟଥା ।

ଥୋକେ ବୋଇଲେ ଗୋ କେମନ୍ତ କଥା ।

ଖରତର ସ୍ରୋତ ଯାଉଛି ବହି ।

ଖରାବେଳେ କିମ୍ପା ବଢ଼ିଲା ନଈ ।।

 

କେହି ନ କହିଲେ ଆମ୍ଭ ଆଗର ।

ଜାଣିଲେ ଘରୁ ନୁହନ୍ତି ବାହାର ।

ଆମ୍ବିଳ ହେଉଛି ମୁହିଁଲା ଦହି ।

କି ବୁଦ୍ଧି କରିବୁ କହ ଗୋ ସହି ।।

 

 

ପଡ଼ିଆ ହେଉଛି ରଜନୀ ଯୋଗେ ।

କାହିଁ ବୁଲାଇବୁ ରାଜାଙ୍କ ଭୋଗେ ।

ବିକଳ ହୋଇଣ ଯୁବତୀ ରାଶି ।

ଭାଳୁଅଛୁଁ ଏକ ଠାବରେ ବସି ।।

 

 

ଏମନ୍ତ ବିଚାର କରନ୍ତେ ଏଣେ ।

ନାବ ଗୋଟାଏକ ଦିଶିଲା ତେଣେ ।

କୃଷ୍ଣ ବୋଲୁ ତାଙ୍କୁ ନ ଜାଣୁ କେହି ।

ମାୟାରୁପେ ଛନ୍ତି କେଉଟ ହୋଇ ।।

 

 

ଅଝାଲ ଦଉଡ଼ି ବାନ୍ଧିଛି ଟାଣି ।

ଦଦରା ନାବରୁ ବହୁଛି ପାଣି ।

ପାକଲା ଗାମୁଛା କାନ୍ଧରେ ପଡ଼ି ।

ନାବ ପୂର୍ବମଙ୍ଗ ବସିଛି ମାଡ଼ି ।।

 

 

କରେଣ ବଇଁଶୀ କଙ୍କଣ ଆଭା ।

ମୟୁର ଖଲାରି ମଥାରେ ଶୋଭା ।

ମୀନ ଖେଳୁଥାଏ ଅଛି ପାଖର ।

ଜାଲ ପଡ଼ିଅଛି ନାବ ଭିତର ।।

 

 

ଢମାଳି କରି ଗୀତପଦେ ଗାଇ ।

ସ୍ଥିରକରି ନାବ ଦେଇଛି ବାହି ।

ଏତେ ହଟିଆ ଗୋ ନନ୍ଦର ବତ୍ସି ।

ବୃଦ୍ଧ ରୂପ ଧରି ନାବ ବାହୁଛି ।।

 

 

ଅତି ସରପଞ୍ଚ ଖାଙ୍କର କେଶ ।

ଦେଖି ନ ଯୋଗାଏ ଏମନ୍ତ ବେଶ ।

ବେନି ନୟନରୁ ପେଚଡ଼ା ବହେ ।

ବଙ୍କା ନୟନେ ଟେରିଆଇ ଚାହେଁ ।।

 

ଗୋଦଡ଼ ହୋଇଛି ଡାହାଣ ଗୋଡ଼ ।

ବୁକୁରେ ପଡିଛି ପାକଲା ଥୋଡ଼ ।

କଳା ଦେହ ତାର ବିସ୍ତାର ମୋଟି ।

ଦାନ୍ତ ନାହିଁ ବୁଢ଼ା ପାକୁଆ ପାଟି ।।

 

 

ବଚନ କହିଲେ କୋମଳ ଭାଷେ ।

ହସିଲେ ବୁଢ଼ା ପରପଞ୍ଚ ଦିଶେ ।

ତାହା ଦେଖି ଆମ୍ଭେ ଉସତ ହୋଇ ।

ନାବ ଆଣ ବୋଲି ଡାକିଲ ଗୋଈ ।।

 

 

ଜଣେ ଜଣେ ତୋତେ କଉଡ଼ି ।

ଦେବୁଁ ପାରି କରିଦେଲେ ମଥୁରାଯିବ ।।

ଆମ୍ବିଳା ହୋଇଲା ବିକା ଗୋରସ ।

ଆଉ ଘଡ଼ିରେ ସବୁ ଯିବ ନାଶ ।

 

 

ସକାଳ ପ୍ରହରୁ ଅଛୁଁ ଅନାଇ ।

ବେଗେ ନାବ ଆଣ କେଉଟ ଭାଇ ।

ଅନେକ ପ୍ରକାରେ ଡାକିଲୁ ତାଙ୍କୁ ।

କେଭେ ନ ଆସିଲା ଆମ୍ଭ ପାଖକୁ ।।

 

 

ବଦନ ଟେକି କଣିଆଇଁ ଚାହେଁ ।

ଏଣିକି ବୋଇଲେ ତେଣିକି ଯାଏ ।

କାଲ ଯେସନ ଥାଇ ପାଶେ ରହି ।

ଡାକି ଡାକି ମଲେ ଶୁଣଇ ନାହିଁ ।।

 

 

ଆମ୍ଭେତ ଷୋଳସହସ୍ର ମୃଗାକ୍ଷୀ ।

ବୟସ ଗରବେ ନ ଜାଣୁ କିଛି ।

ମନେ ତାପକରି ଅତିଧିକାରେ ।

ଗାଳିଦେଲୁ ତାକୁ ନାନା ପ୍ରକାରେ ।।

 

 

ପଡ଼ି ନ ମଲୁରେ ଜାଡ଼ୁଆ ଗୋଟା ।

କାଲ ହୋଇଲୁ କି ଆରେ କେଉଟା ।

ଡାକି ଡାକି ଆମ୍ଭେ ମରୁଛୁଁ ଏଣେ ।

ସର୍ପ ଖାଉ ତୋର ବେନି ଶ୍ରବଣେ ।।

 

ଦଇବ ଯେମନ୍ତେ ହୋଇବ ସତ ।

ବୁକୁରେ ତୋର ମାଡ଼ିବସୁ ଭୁତ ।

ନାବ ମଙ୍ଗଖଣ୍ତ ପଡ଼ିବ ଛିଡ଼ି ।

ମଝି ନଈରେ ତୁ ମରିବୁ ବୁଡ଼ି ।।

 

 

ଅଝାଲ ଦଉଡ଼ି ଛିଡ଼ିଣ ଯାଉ ।

ନାବ ବୁଡ଼ୁ ତୋତେ କୁମ୍ଭୀର ଖାଉ ।

ଏକମୁଖ ହୋଇ ସର୍ବ ଗୁଆଳୀ ।

ନାନା ପ୍ରକାରେ ଦେଉଛନ୍ତି ଗାଳି ।।

 

 

ଏମନ୍ତେ ଶ୍ରୀକୃଷ୍ଣ ତ ଲୟ କଲେ ।

କେ ତୁମ୍ଭେ ବୋଲିଣ କୋପେ ବୋଇଲେ ।

ଦଦରା ନାବରେ ଅଛଇ ଚଢ଼ି ।

କାହିଁକି ମରୁଛ ବୋବାଳି ଛାଡ଼ି ।।

 

 

ଆମ୍ଭେତ ତୁମ୍ଭର ତରାଇ ନୋହୁ ।

ମୀନ ମାରିବାକୁ ନଦୀରେ ଥାଉଁ ।

ଭାତ ବରତନ ଦେଇଛ କେତେ ।

କାହିଁକି ତେଜ ଲୋ କାଢ଼ୁଛ ଏତେ ।।

 

 

ଗୋପିଏ ବୋଇଲେ ତରାଇ ଭାଇ ।

ଉଚିତ କଥାକୁ ଚଳୁ କିମ୍ପାଇ ।

ତୋହ ଦୁଃଖମୂଲ କଉଡ଼ି ଦେବୁଁ ।

ପାରି କରିଦେଲେ ମଥୁରା ଯିବୁ ।।

 

 

ପଣେ ପଣେ ଦେଲେ ଅଣ୍ଟଇ ସିନା ।

କାହିଁକି ଭାବୁଛ କେଉଟ ନନା ।

ତୋହ ପେଟ ଭାଇ ନଦେବୁଁ ନିକି ।

ବେଗେ ପାରିକର ସର୍ବ ଗୋପୀଙ୍କି ।।

 

 

ଶ୍ରୀକୃଷ୍ଣ ବୋଇଲେ କେମନ୍ତ ଯିବ ।

ଭାରା ନ ସହିବ ଦଦରା ନାବ ।

ଜଣେ ଜଣେ ହୋଇ ଯାଅ ଗୋ ।

ବସି ଅଧିକ ଜଳରୁ ନୁହେଁ ଭରସି ।।

 

ଦଇବେ ଷୋଳସସ୍ର ଗୋପନାରୀ ।

ଯାନୁ ଯଉବନ ହୋଇଛି ଭାରି ।

ନାବ ଭାଙ୍ଗିଗଲେ କିସି କରିବି ।

ତୁମ୍ଭ ସଙ୍ଗତରେ ବୁଡ଼ି ମରିବି ।।

 

 

ତୁମ୍ଭେ ମାନେ କିଛି ନଜଣା ଅବା ।

ଆମ୍ଭକଥା ଆମ୍ଭେ ମେଣ୍ଟାଇ ଥିବା ।

ରାଧିକା ବୋଇଲେ ମୁଁ ଆଗ ଯିବି ।

ଦଧି ଓହ୍ଲାଇ ତେଣେ କୂଳେଥିବି ।।

 

 

ନନ୍ଦ କୁମରକୁ ମୋହର ଭୟ ।

ନିତି ଆସୁଥାଏ ଦେବଧିରାୟ ।

ସେ ମୋର ଭଣଜା ମୁଁ ତାର ମାଇଁ

ତାହାର ମୋହର ପଡ଼ଇ ନାହିଁ ।।

 

 

ବାଟେ ଦେଖିଣ ଓଗାଳଇ ଆଗ ।

ଭଣ୍ତ ଭାଷା କହି ମେଲାଇ ଢଗ ।

ତେଣୁ କରି ମୋର କମ୍ପଇ ତନୁ ।

ଏହିକ୍ଷଣି ନିକି ଅଇଲା କାହ୍ନୁ ।।

 

 

ଶ୍ରୀକୃଷ୍ଣ ବୋଇଲେ କହିଲୁ ଯେତେ ।

ତୋହ କଥା ରାଧା ଲାଗଇ ମୋତେ ।

ଦଇବେ ହଟିଆ ନାଗର କାହ୍ନା ।

ଯୁବା ସ୍ତିରୀଙ୍କର ଜୀବନ ଘେନା ।।

 

 

ଗୁରୁ ଗଉରବ ତା ତହିଁ ନାହିଁ ।

ଦୟା ଉପରୋଧ ନ କରେ ସେହି ।

ଆମ୍ଭର ତାହାକୁ ଭୟ ଅପାର ।

ଲୁଚି ବୁଲୁଥାଏ ତାହା ଡର।।

 

 

ବଡ଼ ଦୁରୁଜନ ନନ୍ଦତନୟ ।

ତୁମ୍ଭ ତହୁଁ ମୋର ତାହାକୁ ଭୟ ।

ନାବ ଭିତରେ ଗୋ ଅଛଇ ବସି ।

ଏଇକ୍ଷଣ ନିକି ଦେଖଇ ଆସି ।।

 

ଦଦରା ନାବ ମୋ ଜୀବିକା ସିନା ।

ବାଡ଼ିଏ ପିଟି କରିଦେବ ଚୂନା ।

ପୋଡ଼ୁ ଏଠାବରେ କେହି ନ ଥିବା ।

ଏଣକୂଳ ଛାଡ଼ି ତେଣିକି ଯିବା ।।

 

 

ଏତେ ବୋଲି ନାବ ଦେଲେ ଘୁଞ୍ଚାଇ ।

ଚନ୍ଦ୍ରମୁଖୀ ନାବ ଧଇଲା ଯାଇ ।

କାହିଁକି ଯାଉଛୁ କେଉଟ ନନା ।

ମୋତେ ମାତ୍ରକ ପାରିକର କିନା ।।

 

 

ଦଇନୀ କରି ମୁଁ କହୁଛି ତୋତେ ।

ଦନ୍ତେ ତିରଣ ଘେନିଯାଅ ମୋତେ ।

କୃଷ୍ଣ ବୋଇଲେ ଗୋ ଅଇଲେ ।

ଆସ ନାବ ଭିତରେ ଗୋ ବହନ ବସ ।।

 

 

ଶୁଣି ରାଧିକା ହରଷ ମନକୁ ।

ମେଲାଣି ମାଗିଲା ସଖୀମାନଙ୍କୁ ।

ପହଣ ପଟ୍ଟାରେ ପସରା ଥୋଇ ।

ସ୍ଥିର ହୋଇ ନାବେ ବସିଲା ଯାଇଁ ।।

 

 

ଗୋପୀଙ୍କି ବୋଇଲେ ସେ ରଙ୍ଗାଧର ।

ତୁମ୍ଭମାନଙ୍କୁ ଯେ କରିବା ପାର ।

ଏମନ୍ତ ବୋଲିଣ ସେ ବାସୁଦେବ ।

ମଝି ନଇକି ବାନ୍ଧିଦେଲେ ନାବ ।।

 

 

ବିଷ୍ଣୁ ମାୟାଧର କଲେ କୁହୁଡ଼ି ।

ଅକାଳ କୁହୁଡ଼ି ଅଇଲା ମାଡ଼ି ।

ଅସମ୍ଭବ କଥା ଗୋଚର ନୁହେଁ ।

ଦିବସେ ଦିଶିଲା ଅନ୍ଧାର ମୟେ ।।

 

 

ଦୂର କଥାମାନ ତେଣିକି ଥାଉ ।

ବାହାକୁ ବାହା ନ ଦିଶଇ ଆଉ ।

ନାବ ପୂର୍ବମଙ୍ଗେ କୃଷ୍ଣ ବସିଲେ ।

ରାଧିକାକୁ ଆଉ ଦୃଶ୍ୟ ନୋହିଲେ ।।

 

ଚନ୍ଦ୍ରବଦନୀ ଯେ ମନେ କାତର ।

ବୋଇଲା ନିଶ୍ଚେ ମୁଁ ମଲି ଏଥର ।

ଅକାଳେ ମୋ ଶିରେ ବଜ୍ର ପଡ଼ିଛି ।

ମଝି ନଈରେ ମୋ ଭେଳା ବୁଡ଼ୁଛି ।।

 

 

ଆଗ ପଛ ଦୁଇ ବିଚାର ନାହିଁ ।

ଭଙ୍ଗା ନାବରେ ବସିଲି କି ପାଇଁ ।

ନାବ ପୂର୍ବମଙ୍ଗ ଯାଉଛି ଫାଟି ।

ପାଣି ପଶୁଅଛି ବିବର ଫୁଟି ।।

 

 

ସଙ୍ଗେ କେହି ନାହିଁ ସଖା ସୋଦର ।

ଦୀନବନ୍ଧୁ ମୋତେ ବାରେ ଉଦ୍ଧର ।

ସଖୀମାନଙ୍କୁ ଯେ ଅଇଲି ଛାଡ଼ି ।

ମଝି ନଈରେ ମୁଁ ମରୁଛି ବୁଡ଼ି ।।

 

 

ଯେଉଁ କେଉଟ ବାହୁଥିଲା ନାବ ।

ସେହି କେଣେ ଗଲା ନକରି ଠାବ ।

ବୃଦ୍ଧଲୋକ ସିନା ତରସ୍ତେ ମଲା ।

ନାବୁଁ ତାକୁ ଅବା କୁମ୍ଭୀର ନେଲା ।।

 

 

ନୋହିଲେ ତାହାର କର୍ମ ଅବଳ ।

ପାଦ ଖସି ଯାଇ ପଡ଼ିଲା ଜଳ ।।

ପ୍ରଖର ସୂଅତ ଅଗାଧ ପାଣି ।

କେଣେ ଭାସିଗଲା କେହି ନ ଜାଣି ।।

 

 

ବିଧାତା ପୁରୁଷ ଏମନ୍ତ କଲା ।

ମୋତେ ନାଶକରି ଆପଣେ ମଲା ।

ଭଲ ଯୋଗେ ଆଜି ଘରୁ ଅଇଲି ।

ପୁରୁଷ ହତ୍ୟା ପାତକ ପାଇଲି ।।

 

 

ପୁଣି ବିଚାରଇ ଶଶାଙ୍କ ମୁଖୀ ।

ବୁଢ଼ା ବୁଢ଼ା ବୋଲି ଡାକଇ ଦେଖି ।

ଭଲ ମନ୍ଦ କଥା ନ ଜାଣେ କିଛି ।

କେଉଁଠାରେ ଅବା ଶୋଇ ପଡ଼ିଛି ।।

 

କୁଟୁମ୍ବଲୋକଙ୍କୁ ଅନାଥ କଲୁ ।

ମୋତେ ନାଶକରି ଆପଣେ ମଲୁ

ଭଙ୍ଗା ନାବ ତୋର ଯାଉଛି ଫାଟି ।

ପାଣି ପଶୁଅଛି ବିବର ଫୁଟି ।।

 

 

କାହିଁ ପଳାଇବି କିସ କରିବି ।

ଏହିକ୍ଷଣି ନିକି ବୁଡ଼ି ମରିବି ।

ଏମନ୍ତ ରାଧାର ବିକଳ ଚିତ୍ତ ।

ମନରେ ଜାଣିଲେ ଦେବ ଅଚ୍ୟୁତ ।।

 

 

କେରୁଅଳ ଧରି ଅନନ୍ତରୂପୀ ରାଧାକୁ ।

ବୋଇଲେ କି ବୋଲ ଗୋପୀ ।

ଆମ୍ଭ ସୁଖେ ଆମ୍ଭେ ନିଦ୍ରା ଯାଉଛୁ ।

ଗାଳି ଦେଇ ତୁ ଗୋ କିସ ବୋଲୁଛୁ ।।

 

 

ରାଧିକା ବୋଇଲେ କେଉଟ ଭାଇ ।

ଉଚିତ କଥାକୁ ଚଳୁ କିମ୍ପାଇ ।

ଶ୍ରୀକୃଷ୍ଣ ବୋଇଲେ ଜଣା ନାହିଁକି ।

ଯାହା ଅରଜିଛି ଭୁଞ୍ଜିବଟିକି ।।

 

 

ଦଇବେ ମୋହର ନାବ ଦଦରା ।

ତହିଁକି ହୋଇଛି ବିଷମ ଭରା ।

ତୁମ୍ଭେ ଗୋପାଳୁଣୀ ନ ପାଅ ଲାଜ ।

ଅନବରତେ ହୋଇଥାଅ ସଜ ।।

 

 

ଯେତେ ଅଳଙ୍କାର ହୋଇଛି ସାଜି ।

ଭଙ୍ଗାନାବ କିମ୍ପା ନ ଯିବ ଭାଜି ।

ତୋତେ କି ବୋଲିବା ନ ଜାଣ ଏହା ।

ଜଳଦେବତାଙ୍କୁ ନ ମାନି ଯାହା ।।

 

 

ମଝି ନଈରେ ଗୋ ନପାର ଡକା ।

ସବୁ ଅଳଙ୍କାର ପାଣିକି ପକା ।

ତେବେ ହୋଇବ ସୁଫଳ କାର୍ଯ୍ୟ ।

ନୋହିଲେ ନିଶ୍ଚୟ ମରିବ ଆଜ ।।

 

ଶୁଣି ଚନ୍ଦ୍ରମୁଖୀ ବିକଳ ମନ ।

ଅଙ୍ଗରୁ କାଢ଼ିଲା ସବୁ ଭୂଷଣ ।

ହେମର ତାଡ଼କା କର୍ଣ୍ଣର କାପ ।

ନାଶିକା ବେଣ୍ଟୁଆ ମୁକୁତା ଥୋପ ।।

 

 

ପାଦରୁ ନୂପୁର ରୂପ ଝୁଣ୍ଟିଆ ।

କର୍ଣ୍ଣରୁ କାଢ଼ିଲା ସୁନାଫାସିଆ ।

ଭୁଜରୁ କଙ୍କଣ କାଢ଼ିଲା ଚାହିଁ ।

ଦଧି ଚାଙ୍ଗୁଡ଼ିରେ ଥୋଇଲା ନେଇ ।।

 

 

ବୋଇଲା ଭାଇ ଅବଧାନ ହୁଅ ।

ନାଶ ନ ଯାଉ ତୁମ୍ଭେ ପଛେ ନିଅ ।

ଶ୍ରୀକୃଷ୍ଣ ବୋଇଲେ ଶୁଣ ଲୋ ଗୋପୀ ।

ନିଶ୍ଚୟ ଜାଣିଲୁ ତୁ ବଡ଼ ପାପୀ ।।

 

 

ଗଙ୍ଗାଦେବୀଙ୍କର ଏ ଅଳଙ୍କାର ।

ମୁଁ ତାହା କେମନ୍ତ କରିବି ପାର

ଭଲ ମନ୍ଦ କିଛି ନ ଜାଣ ଗୋଈ ।

ଜୀବଥିଲେ ଧନ କୋଟିଏ ପାଇ ।।

 

 

ରାଧିକା ବୋଇଲେ ଅମୂଲ୍ୟ ରତ୍ନ ।

ଦେବତା ମାନେ ଲୋଡ଼ନ୍ତି ଯତନ ।

କେମନ୍ତେ ପାଣିକି ଦେବି ପକାଇ ।

ସତ ନ ବଳଇ କେଉଟ ଭାଇ ।।

 

 

ମୋତେ ଏଥୁ ପଛେକିଛି ନ ଦିଅ ।

ନାଶ ନ ଯାଉ ପଛେ ତୁହି ନିଅ ।

ଶ୍ରୀକୃଷ୍ଣ ବୋଇଲେ ଶୁଣ ଗୋ ରାଧା ।

ଧନକୁ ମୋହର ନାହିଁ ଶରଧା ।।

 

 

ତୁହି ଶୁଭେ ଯେବେ ନିଶ୍ଚିନ୍ତ ଥିବୁ ।

ତୋ ଦୟାରେ ମୋତେ ମିଳିବ ସବୁ ।

ଶୁଣି ରାଧିକାର ଉଡ଼ିଲା ମନ ।

ଜିହ୍ୱା କାମୁଡ଼ି ଛୁଇଁଲା ଶ୍ରବଣ ।।

 

ବୋଇଲା ତୁ ଏଡ଼େ ପାପର ମୁଢ଼ା ।

କି ଭାଷା ବୋଲୁଛୁ କେଉଟ ବୁଢ଼ା ।

କେଉଟ ହୋଇ ତୋ ଏଡ଼େ ଭରସା ।

ଆଉ ବେଳେ ତାହା ତୁଣ୍ତେ ନ ବସା ।।

 

 

ଲୋକ ଜାଣିଲେ ତ ସହଜେ ମରି ।

ଜାତି ହରାଇଚି କେମନ୍ତେ କରି ।

ବଡ଼ଲୋକଙ୍କ ମୁଁ ଅଟଇବୋହୂ ।

କେଉଟ ହୋଇ ତୁ ଏଭାଷା କହୁ ।।

 

 

କୃଷ୍ଣ ବୋଇଲେ ଗୋ ଶୁଣ ଯୁବତୀ ।

ମୋ ତହୁଁ ତୋରକେଡ଼େ ବଡ଼ ଜାତି ।

କେଉଟ ବୋଲିଣ ନ ପାଅ ଲାଜ ।

ନନ୍ଦପୁଅ ମୁଁ ଯେ ଦେବାଧିରାଜ ।।

 

 

ତୋତେ ଦେଖି ମୋର ବଳିଲା ଆଶ ।

ତେଣୁ ଧରିଲି ମୁଁ ତରାଇ ବେଶ ।

ଯାହା ଭୟ କରୁ ଯୁବତୀଗୋଟି ।

ଚିହ୍ନି ପାରିଲେ ମୁଁ ସେହି କାହ୍ନୁଟି ।।

 

 

ଏହା ଶୁଣି ବୋଲେ ରାଧା ସୁନ୍ଦରୀ ।

ମଲା କୁଜାବୁଢ଼ା କଥା ଚାତୁରୀ ।

ପିଠିରେ ଶୋଭଇ ବିଷମ ଭରା ।

ଆଖି ଦୁଇ ଗୋଟି ହୋଇଛି ଟେରା ।।

 

 

ପାଚିଲା ମୁଖକୁ ପାଚିଲା ଦାଢ଼ି ।

କନା ଖଣ୍ତେ ଅଛୁ କଟିରେ ଭିଡ଼ି ।

ଗୋଡ଼ ଗୋଦର ଦେହ ତୋର ମୋଟା ।

ଦାନ୍ତ ନାହିଁ ବୁଢ଼ା ପାକୁଆ ଗୋଟା ।।

 

 

ବଙ୍କାହୋଇ ଆଉ ନ ପାରୁ ଚାଲି ।

ମୋତେ ଭଣ୍ତୁ ଅଛି ଶ୍ରୀକୃଷ୍ଣ ବୋଲି ।

କୋଟି ମଦନ ଯା ରୂପଗଞ୍ଜନ ।

ତୁ ହାଦେ ବୋଲୁ ନନ୍ଦପୁଅ କାହ୍ନା

 

ନନ୍ଦପୁଅ ବୋଲି ଭଣ୍ଡୁଛୁ ସିନା ।

ନାମ ଅବା ତୋର ତରାଇ କାହ୍ନା

ଆମ୍ଭର ଶ୍ରୀକୃଷ୍ଣ ଏମନ୍ତ ରୂପ ।

ଗୋପୀମାନଙ୍କର ଅମୀୟ କୂପ ।

ପଟାନ୍ତର ନାହିଁ ପ୍ରଭୁ ପଣକୁ ।

ଇନ୍ଦ୍ର ସରି ନୋହେଁ ପାଦତଳକୁ ।।

 

 

କୋଟିଲକ୍ଷ୍ମୀ ଯାର ଚରଣେ ଥିବ ।

ସେ କିମ୍ପା ନଦୀରେ ନାବ ବାହିବ ।।

ବେଭାରେ ବାଳୁତ ଅଟଇ ସାନ ।

ତାକୁ ଦିଅଇ କେ ଏ ବୁଦ୍ଧିମାନ ।।

 

 

ତୁ ଏବେ ତ ଧରିଛୁ ଏମନ୍ତବେଶ ।

ତୋତେ ଦେଖି ମୋତେ ମାଡ଼ୁଛି ହସ ।।

ଶ୍ରୀକୃଷ୍ଣ ବୋଇଲେ ଶୁଣରେ ସଖୀ ।

ସତ ମିଛ କଥା ବୁଝିବଟିକି ।।

 

 

ମୋର ତୁଣ୍ତେ ମିଛ ନ ଥାଇ ଜାଣ ।

ମାମୁଁଙ୍କ ଶପଥ ମାଇଁଙ୍କ ରାଣ ।।

ରାଧିକା ବୋଇଲେ ତରାଇ ଭାଇ ।

ଏଡ଼େ ରାଣ ତୋର କି କଥାପାଇଁ ।।

 

 

ନିଶ୍ଚୟ ତୁ ଯେବେ ଯଶୋଦା ପୁଅ ।

ସୁନ୍ଦର ବଦନେ ପ୍ରକାଶ ପାଅ ।

ବଡ଼ିମା କରି ତୁ କରିଛୁ କେତେ ।

ନିଜ ରୂପ ତୋର ଦେଖାଅ ମୋତେ ।।

 

 

ଶ୍ରୀକୃଷ୍ଣ ବୋଇଲେ ଅନାଇ ଥାଅ ।

ରୂପ ଦେଖି ମୂର୍ଚ୍ଛାଗତ ନ ହୁଅ ।

ଶରଧା ଯେବେ ଗୋ ବଳିଲା ମିତ ।

ନୟନ ବୁଜି ସ୍ଥିର କରି ଚିତ୍ତ ।।

 

ଶୁଣି ଚନ୍ଦ୍ରମୁଖୀ ନୟନ ବୁଜି ।

ଗୋବିନ୍ଦ ନାମ ମନେ ମନେ ହେଜି ।

ରାଧାକୁ ବୋଇଲେ ଏବେ ତୁ ଅନା ।

ତୁ ଯେ ବୋଲୁ ମୋତେ ନୁହଇ କାହ୍ନା ।।

 

 

ଶ୍ରୀକୃଷ୍ଣ ବଚନ ଶୁଣିଣ ରାଈ ।

ନୟନ ଫେଡ଼ି ବେଗେଦେଲା ଚାହିଁ ।

ପ୍ରତ୍ୟକ୍ଷ ଦେଖିଲା ଶାରଙ୍ଗଧର ।

ନିସ୍ତରିଲି ବୋଲି ଯୋଡ଼ିଲା କର ।।

 

 

ସ୍ତୁତି କରି ରାଧା କହେ ବଚନ ।

ଦ୍ରୋହକଲି ପ୍ରଭୁ ଦୋଷ ନ ଘେନ ।

ବିଷ୍ଣୃ ମାୟାଧର ଯେ ବାସୁଦେବ ।

ମୁଁ ତାହା କେମନ୍ତେ କରିବି ଠାବ ।।

 

 

ନ ଜାଣି ପ୍ରତିଜ୍ଞା କଲି ମୁଁ ଗାଢ଼ ।

ସ୍ତିରୀ ଜନ୍ମ ସିନା ସ୍ୱଭାବେ ମୂଢ଼ ।

ତୋ ରୂପ ଦେଖିଣ ଦେବାଧିରାଜେ ।

ମଦନବାଣ ମୋ ଅଙ୍ଗରେ ବାଜେ ।।

 

 

କାମ ସାଗରୁ କର ମୋତେ ତ୍ରାହି ।

ବେନିପାଦ ଧରି ପଡ଼ିଲା ରାଈ ।

ଶ୍ରୀକୃଷ୍ଣ ବୋଇଲେ ଶୁଣ ଗୋ ମିତ ।

ଏବେ କାହିଁ ପାଇଁ ଏଡେ ଉସତ ।।

 

 

ରାଧିକା ବୋଇଲେ ମହିଁମା ମୋରୁ ।

କ୍ଷଣକ ଭିତରେ କିସ ନ କରୁ ।

କାମବାଣେ ହୃଦ ଯାଉଛି ଫାଟି ।

ତ୍ରାହିକର ପ୍ରଭୁ ନିଶ୍ଚେ ମଲିଟି ।।

 

ଶ୍ରୀକୃଷ୍ଣ ବୋଇଲେ ଆରତ ନୁହ ।

ବାଞ୍ଛା ପୂର୍ଣ୍ଣହେବ ସୁସ୍ଥିର ହୁଅ ।

ତୋର ମନ କଥା ଜାଣଇ ରାଧା ।

ମୋତେ ହିଁ ଦେହେ ମଦନ ହେଉଛି ବାଧା ।।

 

 

ଉଠ ଉଠ ସଖୀ ନ ପାଅ ଲାଜ ।

କୋଳରେ ଧରିଲେ ଦେବାଧିରାଜ ।

ବିବିଧ ରଙ୍ଗରେ ତୋଷିଲେ ମତି ।

ସନ୍ତୋଷ ହୋଇଲେ ସେ ରସବତୀ ।।

 

 

ସରିଲା ରାଧାମାଧବ ବିହାର ।

ଲାଜେ ପଳାଇଗଲା ପଞ୍ଚଶର ।

ଗୋପୀଏ ବୋଇଲେ ଶୁଣ ମିତଣି ।

ବଡ଼ ମାୟାଧର ଶାରଙ୍ଗପାଣି ।।

 

 

ଯଶୋଦା ପୁଅର ମହିମା ଭଲା ।

ସେହିଠାରେ ପୁଣି ବୁଦ୍ଧି ଏ କଲା ।

ରାଧାକୁ ବୋଇଲେ କୂଳକୁ ଯାଅ ।

ସାଙ୍ଗ ସଖୀ ଆଣେ ସେ କୂଳେ ଥାଅ ।।

 

 

ସଖୀମାନଙ୍କୁ ତ ଆଣିବା ନିକି ।

କେତେବେଳେ ଯିବ ଗୋରସ ବିକି ।

ଏମନ୍ତ ବୋଲିଣ ଶ୍ରୀ ବାସୁଦେବ ।

ମଝି ନଈକୁ ବାହିଦେଲେ ନାବ ।

 

 

ଚତୁର୍ଭୁଜମୟ ଦେବାଧିରାଣ ।

ସେଠାରେ ପୁଣି ହେଲେ ଅନ୍ତର୍ଦ୍ଧାନ ।।

ବ୍ରହ୍ମା ଯାହା ନାମ ଘୋଷଇ ବସି ।

କ୍ଷୁଦ୍ର କୃଷ୍ଣଦାସ ତା ପାଦେ ରସି ।।

 

 

ତ୍ରିଭଙ୍ଗୀ ମୂରତି ଧରି କହ୍ନାଇ ।

ନିକୁଞ୍ଜ ବନରେ ମିଳିଲେ ଯାଇ ।

ଅତ୍ୟନ୍ତ ସୁନ୍ଦର ରୂପ ଧଇଲେ ।

ନୂଆ ମଦନ କି ମୋହି ଅଇଲେ ।।

 

ରୁପଦେଖି ମୁନି ହେବ କାତର ।

ଯୁବତୀ ଜୀବନ କେତେ ମାତର ।

ସବୁଗୋପୀ ଆମ୍ଭେ ବସିଣ ଅଛୁ ।

ସେଠାରେ ମିଳିଲେ କମଳଚକ୍ଷୁ ।।

 

 

ହସ ହସ ହୋଇ ଦେବ ଶ୍ରୀବତ୍ସ ।

ବୋଇଲେ ଦଧିତ ରଖି ବସିଛ ।

ଗୋପୀଏ ବୋଇଲେ ଶୁଣ ମାଧୋଇ ।

ଖରାକାଳେ କିଆଁ ବଢ଼ିଲା ନଈ ।

 

 

ଗୋଚର ନୁହଇ ଏକଥା ବାବୁ ।

ସ୍ଥଳ କୂଳ ନାହିଁ କେମନ୍ତେ ଯିବୁ

ଭଙ୍ଗା ନାବଖଣ୍ତେ ନଦୀରେ ଥିଲା ।

ଆଗ ହୋଇ ତହିଁ ରାଧିକା ଗଲା ।।

 

 

ତରାଇ କଥା ତୁ ଶୁଣ କହ୍ନାଇ ।

କେଡ଼େ ପରପଞ୍ଚ ଦେଖି ତ ନାହିଁ ।

ପାଚିଲା ଦଢ଼ିତା ନୟନ ଦେଢ଼ା ।

ପିଠିଆଡ଼େ କୁଳ ଗୋଡ଼ଗୋଦଡ଼ା ।।

 

 

ଆମ୍ଭଙ୍କୁ ବୋଇଲେ କୂଳରେ ଥାଅ ।

ଜଣେ ଜଣେ ବସି ସମସ୍ତେ ଯାଅ ।

ଏତେବୋଲି ନାବ ବାହିଣ ଥିଲା ।

ଚନ୍ଦ୍ରବଦନୀ କି ଭଣ୍ତାଇ ନେଲା ।।

 

 

ଭାଳି ଆମକୁ ନ ଦିଶଇ ବାଟ ।

କି ବୁଦ୍ଧି କରିବୁ ନନ୍ଦରଚାଟ ।।

ଶୁଣି ଦୟାନିଧି ମନେ କାତର ।

ଜିଭ କାମୁଡ଼ିଲେ ଶାରଙ୍ଗଧର ।।

 

 

ତାଟକା ହୋଇଣ ଶ୍ରୀବନମାଳୀ ।

ଭୂମିରେ ପଡ଼ିଲେ ମିଛେ ହେଁ ଢଳି

ଗୋପୀଙ୍କି ବୋଇଲେ ତୁମ୍ଭେ ନ ମଲ ।

ମୋର ମାଇଁକି ଗୋ ଏମନ୍ତ କଲ ।।

 

ଆଉ କାହିଁ ତାର ପାଇବି ଭେଟ ।

ରାଧାକୁ ନେଲା ସେ ବୁଢ଼ା କେଉଟ ।

ଏଡ଼େ କରମ ଗୋ କିପାଇଁ କଲ ।

ସାଙ୍ଗରେ କେହି ଜଣେ ନ ଗଲ ।।

 

 

ନାରାୟଣ ଲୋଭ କରେ ଯାହାକୁ ।

ବୁଢ଼ା କେ ଘେନିଗଲା ତାକୁ ।

ତୁମ୍ଭମାନଙ୍କୁ ଗୋ ଲାଜ ନାହିଁକି ।

ଚୋର ଘେନିଗଲା ମୋର ମାଇଁକି ।।

 

 

ତୁମ୍ଭେମାନେ ଏବେ କରିବ କିସ ।

ଆମ୍ବିଳା ହୋଇଲା ବିକା ଗୋରସ

ମଥୁରା ହାଟକୁ ଯାଅ ଯା ବିକି ।

ମାମୁଁ ଆଗେ ଆମ୍ଭେ କହିବୁ ଟିକି ।।

 

 

ଆପଣେ ଝିଙ୍ଗାସ ପରର କଥା ।

ଜାଣି ନ କହିଲେ ଆମ୍ଭଙ୍କୁ ବ୍ୟଥା ।

ଗୋପୀଏ ବୋଇଲେ ଶୁଣରେ ବାବୁ ।

ତୋହ ସଙ୍ଗେ ଆମେ ବାହୁଡ଼ି ଯିବୁ ।।

 

 

ସାଙ୍ଗରୁ ତ ତେବେ ଗଲା ରାଧିକା ।

ରାଜାର ଗୋରସ ହେଉ ଅବିକା ।

ତହିଁକି ବଢ଼ିଛି ଯମୁନା ନଈ ।

ଯୁବା ସ୍ତିରୀ ଯିବୁ କେମନ୍ତ ହୋଇ ।।

 

 

ଶ୍ରୀକୃଷ୍ଣ ବୋଇଲେ ଭାଳ କାହିଁକି ।

ଭଲକଥା କିମ୍ପା କରୁଛ ନିକି ।

ନଦୀ ବଢ଼ିବାକୁ ଭୟ ନ ପାଅ ।

ମୁଣ୍ତେ ବୋଝ ଘେନି ପହଁରି ଯାଅ ।।

 

 

ଗୋପୀଏ ବୋଇଲେ ଶୁଣ ଶ୍ରୀବତ୍ସି ।

ବାଳୁତ ପୁଅ ତୁ ନ ଜାଣୁ କିଛି ।

ବୁଡ଼ି ମରିବାକୁ କରିଛ ପଞ୍ଚା ।

ଯେତେ କଥା କହୁ ଅଜଣା କଞ୍ଚା ।।

 

ଶ୍ରୀକୃଷ୍ଣ ବୋଇଲେ ଶୁଣ ଗୁଆଳୀ ।

କାହିଁପାଇଁ ମୋତେ କର ଢମାଳୀ । 

ଜାଣଟିକି ମୋର ମନ୍ତର ବାମା ।

ଜଳ ସ୍ଥଳ ମୋତେ କିଞ୍ଚିତ ସିନା ।

ଏକା ଫୁଙ୍କାଏ ଦେବି ମନ୍ତ୍ରପଢ଼ି ।

ଯମୁନା ପାଣି କେଣେ ଯିବ ଉଡ଼ି ।।

 

 

ଜଳ ଶୁଖିଯାଇ ଦିଶିବ ବାଲି ।

ତୁମ୍ଭେ ସୁଖେ ଯିବ ନଦୀରେ ଚାଲି ।

ଗୋପୀ ବୋଇଲେ କି ତୁନୋହୁ ବଡ଼ ।

ପାରିଲେ ତୁ ବାବୁ ସଂକଟ ଫେଡ଼ ।।

 

 

କୃଷ୍ଣ ବୋଇଲେ ଗୋ ଶୁଣ ତରୁଣୀ ।

କଥାଏ ମାଗିଲେ ନ ଚଳ ପୁଣି ।

ଯେଉଁ ମନ୍ତର ଗୋ ଶିଖିଛି ମୁହିଁ ।

ଲାଞ୍ଚ ନ ପାଇଲେ କାଟଇ ନାହିଁ ।।

 

 

ନୂଆ କର ଆମ୍ଭେ ପଢ଼ିବା ଆଜ ।

ନିଷ୍ଫଳ ହୋଇଲେ ନୁହଇ କାର୍ଯ୍ୟ

ତାଳିମାରି ପୁଣି ହସିବ ତୁମ୍ଭେ ।

ଗୁରୁନିନ୍ଦା ପୁଣି ପାଇବା ଆମ୍ଭେ ।।

 

 

ଅଳପ ବହୁତ ନାହିଁ ନୋହିବ ।

ଏତେକ ମନ୍ତର ସିଦ୍ଧି ପାଇବ ।

ଗୋପୀଏ ବୋଇଲେ ଶୁଣରେ ବାବୁ ।

ତୋତେ ପୁଣି ଆମ୍ଭେ କି ଲାଞ୍ଚ ଦେବୁ ।।

 

 

ଶାଶୁଘରେ ଥାଇ କିବା ଗରବ ।

କାହୁଁ ଭିଆଇବୁ କେଉଁ ଦରବଦେବୁ ।

ଭିଆଣ କରିବା ପଦାର୍ଥ କାହିଁ ।

କରିବା ଆଣିବା କିଛି ତ ନାହିଁ ।।

 

ଏଠାକୁ ଆଣିବୁ କେଉଁ ଦରବ ।

କରକ କିବାରେ ଆସିଛୁ ସର୍ବ ।

ଶ୍ରୀକୃଷ୍ଣ ବୋଇଲେ ଅଳପ କଥା ।

କାହାରି ଦେହକୁ ନୋହିବ ବ୍ୟଥା ।।

 

 

ତୁମ୍ଭ ଆମ୍ଭ କଥା ଦୁଇ ମେଳକୁ ।

କଥା ରହିଥିବ କାଳ କାଳକୁ ।

ଗୋପୀଏ ବୋଇଲେ ମାଗିଲୁ ଯାହା ।

ଫେଡ଼ି କରି କିମ୍ପା ନ କହୁ ତାହା ।।

 

 

ଶ୍ରୀକୃଷ୍ଣ ବୋଇଲେ ଯାହାମାଗିବା ।

ସତ୍ୟ କଲେ ସିନା ଫେଡ଼ିକହିବା ।

ଗୋପୀ ବୋଇଲେ ହେ ସେ କଥା ଛାଡ଼ ।

ସତ୍ୟ କଲୁ ବାବୁ ବେଦନାଫେଡ଼ ।।

 

 

ଶ୍ରୀକୃଷ୍ଣ ବୋଇଲେ ଶୁଣ ତରୁଣୀ ।

ହରି ନେଉଅଛି ଯମୁନା ପାଣି ।

ଗୋପୀ ବୋଇଲେ ନେଉଁ କିନା ବାବୁ ।

କେତେବେଳେ ଆମ୍ଭେ ମଥୁରା ଯିବୁଁ ।।

 

 

ଆମ୍ଭେ ବୁଝିଲେ ତୋ ମନ୍ତର ବାନା ।

ନାମ ଦେଇ ଯିବୁ ଛଇଳ କାହ୍ନା ।

ଶ୍ରୀକୃଷ୍ଣ ବୋଇଲେ ଆରତ ନୁହ ।

ପଛଆଡ଼କୁ ଗୋ ସମସ୍ତେ ଚାହଁ ।।

 

 

ବିଷ୍ଣୁ ମାୟାକୁ ରଚିଲେ କହ୍ନାଇ ।

ଆଜ୍ଞା ପ୍ରମାଣେ ଶୁଖିଗଲା ନଈ ।

ମୀନ ମଗର ଯାଉଛନ୍ତି ଚାଲି ।

ଝଲମଲ ହୋଇ ଦିଶୁଛି ବାଲି ।।

 

 

ନିର୍ମଳ ହୋଇଲା ଦିଶିଲା କୂଳ ।

ଆଣ୍ଠୁକ ଭିତରେ ରହିଲା ଜଳ ।

ଏମନ୍ତ ସମୟେ ଦେବାଧିରାୟେ ।

ନବୀନ ସୁନ୍ଦର ବୟସ ହୁଏ ।।

 

ତ୍ରିଭଙ୍ଗ ଠାଣି ପ୍ରକାଶି ରହିଲେ । ନୂ

ଆ ମଦନ କି କାହୁଁ ଅଇଲେ ।

ହରଷେ ବୋଲନ୍ତି କମଳ ମୁଖ ।

ନଦୀ ଶୁଖିଗଲା ସମସ୍ତେ ଦେଖ ।।

 

 

ଶୁଣି ଅନାଇଲେ ଗୋପ ଯୁବତୀ ।

ଦେଖିଲା ଶ୍ରୀକୃଷ୍ଣ ଦିବ୍ୟମୂରତୀ ।

ଦଧିପରାସ ସେ ଛାଡ଼ି ସକଳ ।

ମଦନ ଆରତେ ହୋଇଲେ ଭୋଳ ।।

 

 

ଦେଖିଲେ ଶୁଖିଛି ଯମୁନା ନଈ ।

ଉଭା ହୋଇଛି ଜଗତ ଗୋସାଇଁ ।

ଗୋପୀଏ ବୋଇଲେ ମହିମାମେରୁ ।

ମାଗିଲା କଥା ହେଳା ନ କରୁ ।।

 

 

ବିନ୍ଧୁଅଛି ବାଣ ଅନଙ୍ଗରାଶି ।

ଭୁଜେ ଭିଡ଼ି କିମ୍ବା ନ ଧର ଆସି ।

ହୃଦୟ ଫାଟୁଛି କିଛି ନ ବୁଝ ।

ଆମ୍ଭମାନଙ୍କୁ ରକ୍ଷାକର ଆଜି ।।

 

 

ନୋହିଲେ ଜୀବନଗଲା ଗୋସାଇଁ ।

ପଛେ ବୋଲିବଟି କହିଲ ନାହିଁ ।

ଶ୍ରୀକୃଷ୍ଣ ବୋଇଲେ ଶୁଣ ତରୁଣୀ ।

କେଉଁକଥା ଆମ୍ଭେ ମାଗିଲୁ ପୁଣ ।।

 

 

ଫେଡ଼ି ନ କହୁ ତ ଜାଣିଲ ତୁମ୍ଭେ ।

ତହିଁକି ଚକିତ ହୋଇଲୁ ଆମ୍ଭେ ।

ଗୋପୀ ବୋଇଲେ ତୁ ଗଣ୍ଠିଆ ଗୁରୁ ।

କ୍ଷଣିକ ଭିତରେ କିସ ନ କରୁ ।।

 

 

ତୋର ମନ କଥା ଆମ୍ଭଙ୍କୁ ଜଣା ।

ଆମ୍ଭମନ ନିକି ତୋତେ ଅଜଣା ।

ନହିଁତ ଅଭେଦ କମଳ ଚକ୍ଷୁ ।

କାହା ମନ କି ଭାବ ନ ଜାଣିଛୁ ।।

 

ଶୁଣି ଦୟାନିଧି ସ୍ନେହରେ ଭାଷି ।

ଅରୁଣ ଅଧରେ ହାସ ପ୍ରକାଶି

କ୍ଷଣକ ଭିତରେ ଦେବାଧିରାୟେ ।

ଯେତେ ଗୋପୀ ତେତେ ରୂପ ଉଦୟେ ।।

 

 

ବିବିଧ ରଙ୍ଗେ ବିହାର କରନ୍ତି ।

ସବୁ ଗୋପୀଙ୍କର ମନ ତୃପତି ।

ବିହାର ସାରିଣ ନନ୍ଦର ଚାଟ ।

ବୋଇଲେ ଯାଅ ଯା ମଥୁରା ହାଟ ।।

 

 

ଶୁଖିଲା ନଦୀରେ ଯାଅ ଯା ଚାଲି ।

ଆମ୍ଭେ ଯାଉଅଛୁ ଘରକୁ ବୋଲି ।

ଗୋପୀଏ ବୋଇଲେ ଶୁଣ ସଙ୍ଗାତ ।

ଏମନ୍ତ ମହିମା ଯଶୋଦାସୁତ ।।

 

 

ହର ବଦନେ ସ୍ତୁତିକଲେ ଯାକୁ ।

ଗୋପାଳ ପୁଅ କେ ବୋଲିବ ତାକୁ ।

ଏଡ଼େ ବାଳକାଳୁ ତେଡ଼େ ହଟିଆ ।

ସବୁ କଥା ତାର ଦିନ କାଟିଆ ।।

 

 

ଭକତ ବାନ୍ଧବ ଜଗଜ୍ଜୀବନ ।

ଦୀନକୃଷ୍ଣଦାସ ପଶେ ଶରଣ ।

 

ସମାପ୍ତ

***